BREAKING
Loading...
:

ଭାରତ-କାନାଡା ମଧ୍ୟରେ ୟୁରାନିୟମ ଚୁକ୍ତିନାମା: ଖୁବ୍‌ଶୀଘ୍ର ଉଭୟ ଦେଶ…

 


ନୂଆଦିଲ୍ଲୀ,୨ା୩: ୟୁରାନିୟମ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଲାଗି ଭାରତ ଓ କାନାଡା ମଧ୍ୟରେ ସୋମବାର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବିସ୍ତୃତ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ନେଇ ଖୁବ୍‌ଶୀଘ୍ର ସହମତିରେ ପହଞ୍ଚତ୍ବାକୁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାର୍ଷିକ ବାଣିଜ୍ୟ କାରବାର ୫୦ ବିଲିୟନ ଡଲାରରେ ପହଞ୍ଚାଇବା ସମେତ ସମ୍ପର୍କ ବଢ଼ାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡା ପ୍ରତିପକ୍ଷ ମାର୍କ କାର୍ନି ନୂଆ ଢାଞ୍ଚା ଚୂଡ଼ାନ୍ତ କରିଛନ୍ତି। ୪ ଦିନିଆ ଭାରତ ଗସ୍ତରେ ଥିବା କାର୍ନିଙ୍କ ସହ ମୋଦି ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି, କ୍ଷୁଦ୍ର ଓ ମଡ୍ୟୁଲାର ଆଣବିକ ରିଆକ୍ଟର, ଶିକ୍ଷା, ପୁନଃ ନବୀକରଣଯୋଗ୍ୟ ଶକ୍ତି ଆଦି କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବେ ନୂଆ ଶକ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସକାରାତ୍ମକତାରେ ପରିପୂର୍ଣ୍ଣ ବୋଲି ମୋଦି କହିଛନ୍ତି। ୨.୬ ବିଲିୟନ ଡଲାର ମୂଲ୍ୟର ୟୁରାନିୟମ ଯୋଗାଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବାରୁ ଭାରତର ବେସାମରିକ ଆଣବିକ ଶକ୍ତି ସେକ୍ଟର ପାଇଁ ଏହା ସହାୟକ ହେବାକୁ ଯାଉଛି। ଆତଙ୍କବାଦ, ଉଗ୍ରବାଦ ଏବଂ ଚରମପନ୍ଥୀକରଣ କେବଳ ଭାରତ ଏବଂ କାନାଡା ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଗମ୍ଭୀର ଆହ୍ବାନ ବୋଲି ଉଭୟ ଦେଶ ସହମତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଶ୍ୱିକ ଶାନ୍ତି ଓ ସ୍ଥିରତା ପାଇଁ ଦୁଇ ଦେଶ ଏହିସବୁ ଚ୍ୟାଲେଞ୍ଜ ବିରୋଧରେ ପରସ୍ପରକୁ ସହଯୋଗ କରିବେ।

ଆକ୍ରମଣ ଯୋଗୁ ପଶ୍ଚିମ ଏସିଆରେ ସୃଷ୍ଟ ବିପଜ୍ଜନକ ସୁରକ୍ଷା ସ୍ଥିତିକୁ ନେଇ ଉଭୟ ମୋଦି ଓ କାର୍ନି ବିଚାରବିମର୍ଶ କରିଥିଲେ। ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଆମ ପାଇଁ ଗମ୍ଭୀର ଚିନ୍ତାଜନକ। ଆଲୋଚନା ଏବଂ କୂଟନୀତି ଜରିଆରେ ସମସ୍ତ ଦ୍ୱନ୍ଦ୍ୱର ସମାଧାନକୁ ଭାରତ ସମର୍ଥନ କରେ। ଉକ୍ତ ଅଞ୍ଚଳରେ ଥିବା ଭାରତୀୟମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆମେ ସବୁ ଦେଶ ସହ ଏକାଠି କାମ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

Post a Comment

أحدث أقدم
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।